ମହାରାଷ୍ଟ୍ରରୁ ଆସିଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଯାଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶ ରେ ଯୁବକଙ୍କ ଦୁଃଖଦ ମୃତ୍ୟୁ

Jul 8, 2025 - 10:43
 0  0
ମହାରାଷ୍ଟ୍ରରୁ ଆସିଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଯାଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ଜଣେ ଦୟାଳୁ ଯୁବକ ଦୁର୍ଘଟଣାରେ ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜ ପ୍ରାଣ ହରାଇଛନ୍ତି। ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନଜିତ ପରିଡ଼ା (୨୯) ସୋମବାର ସକାଳେ ଚନ୍ଦ୍ରଭାଗା-କୋଣାର୍କ ବେଳାଭୂମି ମାର୍ଗରେ ଏକ ଦୁର୍ଘଟଣାସ୍ଥଳରେ ଏହି ଦୁଃଖଦ ଘଟଣାରେ ପିଡ଼ିତ ହୋଇଥିଲେ।

ଘଟଣା ସ୍ଥଳରେ ଏକ ଟ୍ରାଭେରା ଗାଡ଼ି (OAR 13G 1677) ଭାରସାମ୍ୟ ହରାଇ ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା, ଯାହାରେ ଗାଡ଼ିରେ ଥିବା ୮ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଥିଲେ। ଏମଧ୍ୟରେ ଜଣେ ଶିଶୁ ଓ ଦୁଇଜଣ ମହିଳା ଥିଲେ। ସମସ୍ତ ପର୍ଯ୍ୟଟକ ମହାରାଷ୍ଟ୍ରରୁ ପୁରୀ, ଚନ୍ଦ୍ରଭାଗା ଓ କୋଣାର୍କ ଦର୍ଶନ ପାଇଁ ଆସିଥିଲେ।

ଘଟଣା ସମୟରେ ନିକଟରୁ ଯାଉଥିବା ପ୍ରସନ୍ନଜିତ ଓ ତାଙ୍କ ସହଯୋଗୀ ଯୁବକମାନେ ତୁରନ୍ତ ଆଗକୁ ଆସି ଗାଡ଼ିରେ ଅଟକିଥିବା ପର୍ଯ୍ୟଟକମାନଙ୍କୁ ବାହାର କରିଥିଲେ। ସବୁଠାରୁ ଶେଷରେ ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ପ୍ରସନ୍ନଜିତ ଯେତେବେଳେ ଖୁଣ୍ଟ ଉପରେ ଭାରା ଦେଲେ, ଅପ୍ରତ୍ୟାଶିତ ଭାବେ ବିଦ୍ୟୁତ୍ ଚାର୍ଜ ହୋଇ ଗଲା ଓ ସେ ବିଦ୍ୟୁତ୍ ଆଘାତରେ ଗୁରୁତର ଭାବେ ଆହତ ହେଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ଆହତମାନଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଚିକିତ୍ସା କରାଯାଇ, ପରେ ସମସ୍ତଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ  କୋଣାର୍କ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ଓ ପ୍ରସନ୍ନଜିତଙ୍କ ଶବକୁ ପୋଷ୍ଟମଟର୍ମ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

What's Your Reaction?

like

dislike

love

funny

angry

sad

wow