ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଡାକ: ଭବିଷ୍ୟତ ସୁରକ୍ଷା ଓ ସମ୍ମାନ ପାଇଁ ୭ ଦଫା ଦାବିରେ ଆନ୍ଦୋଳନ
କ୍ଷୀର ଗାଡ଼ି, ସ୍କୁଲ ବସ୍ ଓ ଆମ୍ବୁଲାନ୍ସ ଚାଳନା ଚାଲିଥିବାବେଳେ ୫ ଲକ୍ଷ ଡ୍ରାଇଭର ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ବ୍ୟବସ୍ଥିତ ଭବିଷ୍ୟତ, ସୁରକ୍ଷା ଓ ସମ୍ମାନ ପାଇଁ ୭ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଛି, ଯାହାରେ ୫ ଲକ୍ଷରୁ ଅଧିକ ଡ୍ରାଇଭର ସାମିଲ ହୋଇଛନ୍ତି।
ଅନ୍ୟପଟେ, ମହାସଂଘ ଦେଖାଇଛି ମାନବିକତା—କ୍ଷୀର ବାହନ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସକୁ ଏହି ଆନ୍ଦୋଳନରୁ ବାଦ ଦିଆଯାଇଛି।
ମୁଖ୍ୟ ଦାବିଗୁଡ଼ିକ:
ଅଟୋ ଚାଳକଙ୍କୁ ବେନିଫିଟ୍ – ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ।
ସୁରକ୍ଷା ନିମନ୍ତେ ନୂଆ ଆଇନ – ଲୋକଙ୍କ ଆକ୍ରୋଶରେ ପଡ଼ୁଥିବା ଡ୍ରାଇଭରଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଆଇନ ତିଆରି।
ବୃଦ୍ଧାଭତ୍ତା ସୁବିଧା – ୬୦ ବର୍ଷ ବୟସ ପରେ ବୃତ୍ତିଗତ ଡ୍ରାଇଭରଙ୍କୁ ଭତ୍ତା ପ୍ରଦାନ।
ବିଶ୍ରାମ ସୁବିଧା – ପ୍ରତି ୧୦୦ କି.ମି. ରେ ଡ୍ରାଇଭର ପାଇଁ ବିଶ୍ରାମଗାର, ଶୌଚାଳୟ ଓ ପାର୍କିଂ ସୁବିଧା।
ସ୍ଥାନୀୟ ନିଯୁକ୍ତି – ଖଣି, କାରଖାନା ଓ ଶିଳ୍ପରେ ୭୦% କାର୍ଯ୍ୟ ଓଡ଼ିଆ ଡ୍ରାଇଭରଙ୍କୁ ଦିଆଯାଉ।
ଜାତୀୟ ଡ୍ରାଇଭର ଦିବସ ଘୋଷଣା – ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ଭାବରେ ଘୋଷଣା କରିବା।
ସମସ୍ତ ଦାବି ପାଇଁ ଶୀଘ୍ର ନିଷ୍ପତ୍ତି – ସରକାର ତ୍ୱରିତ ଭାବେ ଦାବିଗୁଡ଼ିକୁ ମାନି ନିଷ୍ପତ୍ତି ନେଉ।
ମହାସଂଘ ମତାନୁସାରେ, ଏହି ଦାବିଗୁଡ଼ିକ ଡ୍ରାଇଭର ସମାଜର ମର୍ଯ୍ୟାଦା, ସୁରକ୍ଷା ଓ ଭବିଷ୍ୟତ ସ୍ଥିରତା ପାଇଁ ଅତ୍ୟନ୍ତ ଆବଶ୍ୟକ। ସେମାନେ ଦେଶ ଓ ରାଜ୍ୟର ଆର୍ଥିକ ଗତିକୁ ଅଗ୍ରସର କରୁଥିବା ବୃତ୍ତିଗତ ବର୍ଗ ଭାବେ ସମ୍ମାନ ଦାବି କରୁଛନ୍ତି।
What's Your Reaction?






