ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ — ଯୁବ କଂଗ୍ରେସରୁ ନିଲମ୍ବନ
ମୃଦୁ ପାନୀୟରେ ନିଶା ମିଶାଇ ହୋଟେଲ୍ରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଭୟଭୀତ ହୋଇ ପ୍ରଥମେ ନିରବ ରହିଥିଲେ ଛାତ୍ରୀ

ଭୁବନେଶ୍ୱର : ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦରୁ ଏବଂ ଦଳରୁ ନିଲମ୍ବିତ କରାଯାଇଛି। ଉଦିତଙ୍କ ବିରୁଦ୍ଧରେ ମୃଦୁ ପାନୀୟରେ ନିଶା ମିଶାଇ ହୋଟେଲ୍ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା।
ଘଟଣା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖ ଅପରାହ୍ଣରେ ଏକ ଛାତ୍ରୀ, ତାଙ୍କ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ବୁଲିବାକୁ ଗଲେ। ସେଠାରେ ଉଦିତଙ୍କ ସହ ପରିଚୟ ହେବା ପରେ, ସେମାନେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଗଲେ।
ହୋଟେଲରେ ମଦପାନ ଚାଲିଥିଲା, କିନ୍ତୁ ପୀଡ଼ିତା ମଦ ପିବାକୁ ମନା କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟ ଦେଇଥିଲେ, ଯେଉଁଥିରେ ନିଶା ମିଶାଇ ଦିଆଯାଇଥିଲା। ଏହା ପିଇବା ପରେ ଛାତ୍ରୀଙ୍କ ଶରୀର ଅସ୍ତବ୍ୟସ୍ଥ ହୋଇଯାଇଥିଲା ଓ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ହୋସ୍ ଫେରିବା ସମୟରେ ସେ ଦେଖିଥିଲେ ଯେ ଉଦିତ ତାଙ୍କ ସହ ଅପରାଧ କରିଛନ୍ତି।
ଅଭିଯୋଗ କରିବାକୁ ଯିବା ସମୟରେ ଉଦିତ ତାଙ୍କୁ ଧମକ ଦେଇଥିଲେ ଓ ଭୟଙ୍କର ପରିଣତିର ଭୀତି ଦେଇଥିଲେ। ଅଭିଯୋଗ କରିଲେ ଦୁଷ୍ଫଳ ଦେଖିବାକୁ ପଡ଼ିବ ବୋଲି ତାଙ୍କୁ ଡରାଇଥିଲେ। ଉଦିତ ଜଣେ ଛାତ୍ରନେତା ଥିବାରୁ ପୀଡ଼ିତା ଡରି ନିରବ ରହିଥିଲେ।
ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଉଦିତକୁ ଗତ ରାତିରେ ଗିରଫ କରିଥିଲା ଓ ଆଜି ତାଙ୍କୁ କୋର୍ଟରେ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ ୫ଟି ଗମ୍ଭୀର ଦଫା ଲାଗିଛି।
ଏପରି ଘଟଣା ପରେ ଉଦିତଙ୍କ ପରିବାର ଓ ଛାତ୍ର କଂଗ୍ରେସର ୫୦ଜଣ ଲୋକ ମଞ୍ଚେଶ୍ବର ଥାନା ଆଗରେ ଏକାଠି ହୋଇଥିଲେ।
ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କମିସନରେଟ ପୁଲିସ ଜଣାଇଛି। ଘଟଣା ସମୟରେ ହୋଟେଲରେ ଥିବା ଅନ୍ୟ ୨ ଯୁବକ-ଯୁବତୀଙ୍କୁ ପଚାରାଉଚରା ଓ ହୋଟେଲ୍ କର୍ମଚାରୀଙ୍କୁ ତଦନ୍ତରେ ସାମିଲ କରାଯିବ। ଆବଶ୍ୟକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ବୋଲି ଜୋନ୍ ୫ ଏସିପି ବିଶ୍ୱରଞ୍ଜନ ସେନାପତି ସୂଚନା ଦେଇଛନ୍ତି।
What's Your Reaction?






