ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ: ବିଷ ପିଇ ଯୁବକ ଡାକ୍ତରଖାନା ରେ ଭର୍ତ୍ତି
ପରିବାରକୁ ୩ ଦିନ ପରେ ଜଣାଇଲା ପୁଲିସ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଣକା ପଞ୍ଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ (୨୮) ନାମକ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଛି । ଥାନା ହାଜତରେ ଅପମାନିତ ହେବା ସହ ଉଲଗ୍ନ ହେବା କୁ ବାଧ୍ୟ କରି ଏବଂ ମାଡ଼ ମରା ହୋଇଥିବାରୁ ସେ ବିଷ ପିଇ ଆତ୍ମହତ୍ୟା ଚେଷ୍ଟା କରିଥିବା କଥା ଚାଞ୍ଚଳ୍ୟ ସୃଷ୍ଟି କରିଛି।
ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତିନି ଦିନ ପରେ ପୁଲିସ ପରିବାରକୁ ଘଟଣା ବିଷୟରେ ଜଣାଇଥିଲା। ଘରେ ରମେଶ ମଲ୍ଲିକଙ୍କ ପୁଅ ବାଦଲ ଦ୍ୱାରା ଦାଦା ଓ ପଡ଼ୋଶୀ ମହିଳା ଉପରେ ଆକ୍ରମଣ ଘଟଣା ବେଳେ , ରବୀନ୍ଦ୍ର ସେମାନଙ୍କୁବଞ୍ଚାଇବାକୁ ଯାଇ ବାଦଲଉପରକୁ ଗରମ ପେଜ ଢାଳିଥିଲେ। ଏହି ନେଇ ଥାନାରେ ଦୁଇପକ୍ଷୀୟ ଅଭିଯୋଗ ହୋଇଥିଲା।
ରବୀନ୍ଦ୍ରଙ୍କ ଅଭିଯୋଗ, ଥାନା ଭିତରେ ପୁଲିସ ତାଙ୍କୁ ଅମାନବିକ ଭାବେ ଅତ୍ୟାଚାର କରିଥିଲେ, ଓ ହାଜତ ଭିତରେ ଥିବା ବିଷ ବୋତଲକୁ ନିଜେ ଖୋଲି ପିଇଦେଇଥିଲେ। ଏହି ବିଷ ବୋତଲ ଥାନା ଭିତରେ କିପରି ଆସିଲା, ସେଥିରେ ପ୍ରଶ୍ନ ଉଠିଛି।
ଥାନା ଅଧିକାରୀ ସମରଜିତ ନାୟକ ଅଭିଯୋଗକୁ ଅସ୍ୱୀକାର କରି, ଏଥିରେ କୌଣସି ସତ୍ୟତା ନଥିବା କଥା କହିଛନ୍ତି। ତଥାପି, ପୁରା ଘଟଣା ଉପରେ ପ୍ରଶ୍ନଚିହ୍ନ ରହିଛି।
What's Your Reaction?






