ସମ୍ବିଧାନ ହତ୍ୟା ଦିବସ ପାଳନକୁ ନେଇ ପ୍ରସ୍ତୁତି
ଜରୁରୀକାଳ ଅନୁଭବ କରିଥିବା ଗଣତନ୍ତ୍ର ସେନାନୀମାନେ ହେବେ ସମ୍ମାନିତ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ

ଭୁବନେଶ୍ୱର – ରାଜ୍ୟ ସରକାର ଚାଲିଥିବା ବର୍ଷ ଜୁନ ୨୫ ରେ ସମ୍ବିଧାନ ହତ୍ୟା ଦିବସର ୫୦ ବର୍ଷ ପୂର୍ତ୍ତି ପାଳନ କରିବ। ଏହି ଅବସରରେ ଭୁବନେଶ୍ୱର ରେଳ ଅଡିଟୋରିୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହାରେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ମଧ୍ୟ ଭାଗ ନେବେ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଅବଧିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନୀମାନେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ସମ୍ମାନିତ ହେବେ। ବର୍ତ୍ତମାନ ସରକାର ପକ୍ଷରୁ ୫୬ ଜଣ ସେନାନୀଙ୍କୁ ପେନସନ ଦିଆଯାଉଛି ଓ ଆହୁରି ୫୨ ଜଣଙ୍କୁ ନୂଆଭାବେ ତାଲିକାରେ ସାମିଲ କରାଯାଇଛି।
ମନ୍ତ୍ରୀ ଅଧିକ କହିଛନ୍ତି ଯେ, ଏହି ଦିନଟି ସମ୍ବିଧାନର ସାର୍ବଭୌମତ୍ୱ ଓ ଗଣତନ୍ତ୍ର ରକ୍ଷାରେ ଆମ ଦାୟିତ୍ୱ ପ୍ରତି ଉନ୍ମୁଖ କରିବ। ଯେଉଁ ଭୁଲ ଅତୀତରେ ଘଟିଛି, ଏହାକୁ ସୁଧାରିବା ପାଇଁ ଏହା ଏକ ସୁଯୋଗ। ଯେଉଁମାନେ ଏହି ପାଳନକୁ ବିରୋଧ କରୁଛନ୍ତି, ସେମାନେ ସମ୍ବିଧାନ ପ୍ରତି ସମ୍ମାନ ଦେଉନାହାନ୍ତି ବୋଲି ମନ୍ତ୍ରୀ ଆକ୍ଷେପ କରିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଗଢ଼ି ଆଣାଯାଇଛି, ଯାହା ଯୁବପିଢ଼ିକୁ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।
What's Your Reaction?






