ନୂଆ କୋଭିଡ୍ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୦କୁ ପହଞ୍ଚିଲା
ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ; ବୟସ୍କ ଓ ଜଟିଳ ରୋଗୀମାନଙ୍କୁ ଜାଗୃତ ରହିବା ପରାମର୍ଶ

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ୍ ଆକ୍ରମଣ ପୁଣି ଧୀରେ ଧୀରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହିତ ଆକ୍ରାନ୍ତ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଭାଗ ତଥ୍ୟାନୁସାରେ, ଏପର୍ଯ୍ୟନ୍ତ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୯ ଜଣ, ଏବଂ ପୁରୀ, ସୁନ୍ଦରଗଡ଼, ବାଲେଶ୍ବର, କେନ୍ଦୁଝର ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି କୋଭିଡ୍ ଆକ୍ରମଣ ନୂଆ ଉପପ୍ରଜାତି ଦ୍ୱାରା ଘଟୁଛି, ଯାହା ୨୦୨୩ ଅଗଷ୍ଟରେ ପ୍ରଥମେ ଚିହ୍ନଟ ହୋଇଥିଲା। ଏହା ଓମିକ୍ରନ୍ ଉପପ୍ରଜାତି ହୋଇଥିଲେ ମଧ୍ୟ, ସେତେଟା ଘାତକ ନୁହେଁ। ଏଥିରେ ମଧ୍ୟମ ଧରଣର ଜ୍ୱର, କାଶି ଓ ଥଣ୍ଡା ଲକ୍ଷଣ ଦେଖାଯାଏ।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ବୟସ୍କ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏହା ଘାତକ ହୋଇପାରେ। ତେଣୁ ଏହି ବର୍ଗର ଲୋକମାନେ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ଭିଡ଼ରୁ ଦୂରେ ରହିବା ପରାମର୍ଶ ଦିଆଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସଚେତନ ଓ ସାବଧାନ ରହିବାକୁ ପରାମର୍ଶ ଦେଇଛି ।
What's Your Reaction?






