ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ମିସନ୍ ଲାଇଫ୍’
ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଉପରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ବଢ଼ାଇବାକୁ ବଡ଼ ପଦକ୍ଷେପ

ଭୁବନେଶ୍ୱର : ସ୍ଥାୟୀ ଜୀବନଶୈଳୀ ଓ ପରିବେଶ ସଚେତନତାକୁ ବଢ଼ାଇବା ଉଦ୍ଦେଶ୍ୟରେ ସ୍କୁଲ ପାଠ୍ୟକ୍ରମରେ ଏବେ ‘ମିସନ୍ ଲାଇଫ୍’କୁ ସାମିଲ କରାଯିବ। ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଗରୁକତା ତିଆରି କରିବା ପାଇଁ କେନ୍ଦ୍ର ଶିକ୍ଷା ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ କେନ୍ଦ୍ରରେ ରଖି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବେଶମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ବୈଠକରେ ଏହି ପଦକ୍ଷେପ ନେବା ପାଇଁ ସମ୍ମତି ଜଣାଇଛନ୍ତି।
ପାଠ୍ୟକ୍ରମରେ ଏହି ମିଶନ୍କୁ ସାମିଲ କଲେ ଦେଶର ୧୪.୭ ଲକ୍ଷ ସ୍କୁଲର ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି ଜନଆନ୍ଦୋଳନରେ ଯୋଗଦେଇ ପରିବେଶ ଉପଯୁକ୍ତ ଜୀବନଶୈଳୀ ଦିଗରେ ଆଗେଇ ଯିବେ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବାଲ୍ବାଟିକା ଅବଧିରୁ ନିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରିବେଶ ଉପଯୁକ୍ତ ଆଚରଣ ପାଇଁ ପ୍ରେରିତ କରାଯିବ।
ଏହି ଉଦ୍ୟମକୁ ଗମିଫିକେସନ୍, ଡିଜିଟାଲ୍ ପ୍ଲାଟଫର୍ମ, ତାଲିମ ଓ ଶିକ୍ଷକ ହ୍ୟାଣ୍ଡବୁକ୍ ମାଧ୍ୟମରେ ଅଧିକ କାର୍ଯ୍ୟକାରୀ କରାଯିବ। ଡାଏଟ୍ଗୁଡ଼ିକୁ ସାମିଲ କରି, ‘ମିସନ୍ ଲାଇଫ୍’ ଉପାଦାନଗୁଡ଼ିକୁ କ୍ରେଡିଟ୍ ଫ୍ରେମ୍ୱାର୍କରେ ଅନ୍ତର୍ଭୁକ୍ତ କରାଯିବ।
ସ୍କୁଲ ପାଠ୍ୟକ୍ରମରେ ‘ମିସନ୍ ଲାଇଫ୍’ ସାମିଲ ହେବା ଦ୍ୱାରା ଦେଶର ଅଗଣିତ ପିଲା ଏବଂ ଶିକ୍ଷାପ୍ରତିଷ୍ଠାନ ପରିବେଶ ସୁରକ୍ଷା ପାଇଁ ଜଣେ ସଚେତନ ନାଗରିକ ଭାବରେ ଗଠିତ ହେବେ।
What's Your Reaction?






