ରଜ ପାଇଁ ବଜାର ଆସୁଥିବା ବେଳେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ
ଠାକୁରଡିହି ଛକରେ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀ ପ୍ରକାଶ କଲେ ଶୋକ, ଘୋଷଣା କଲେ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର : ରଜ ପାଇଁ ପୋଷାକ କିଣିବାକୁ ବଜାରକୁ ଆସୁଥିବା ବେଳେ ଟ୍ରକ୍ ଧକ୍କାରେ ତିନି ଯୁବକଙ୍କ ଜୀବନ ଶେଷ ହୋଇଛି। ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଠାକୁରଡିହି ଛକରେ। ମୃତ ଯୁବକମାନେ ହେଲେ ଶୁଆକାଟି ମାଇନିଂ ଛକର ବିଭୁ ବାରିକ (୧୮), ବାଦଲ ନାଏକ (୨୨) ଓ ସନତ ନାଏକ (୨୧)।
୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ତିନି ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ସନତଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଯୁବକ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।
ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ମଦଦ ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ଅଞ୍ଚଳରେ ଟ୍ରାଫିକ ଜାମ ସୃଷ୍ଟି ହୋଇଥିଲା, ଯାହାକୁ ପୁଲିସ ନିୟନ୍ତ୍ରଣ କରିଛି।
What's Your Reaction?






