ଭୁବନେଶ୍ୱରରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା
ପାଞ୍ଚ ଦଫା ଦାବିକୁ ନେଇ ସିଆରପି-ସିଏମଙ୍କ ବିକ୍ଷୋଭ, ବେତନ ବୃଦ୍ଧି ଓ ସୁବିଧା ଦାବି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ (ସିଆରପି)-ସିଏମ ମାନେ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରରେ ଗର୍ଜି ଉଠିଛନ୍ତି। ଅଲ ଓଡ଼ିଶା ସିଆରପି-ସିଏମ ସଂଘ ତରଫରୁ ଆୟୋଜିତ ବିକ୍ଷୋଭରେ ଶହ ଶହ ମହିଳା କର୍ମଚାରୀ ଅଂଶଗ୍ରହଣ କରିଛନ୍ତି।
ସଂଘ ପକ୍ଷରୁ ଦାବି ରହିଛି ଯେ, ସିଆରପି-ସିଏମଙ୍କୁ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ ଓ ବର୍ତ୍ତମାନ ଚାଲୁଥିବା ଇନସେନଟିଭ ବ୍ୟବସ୍ଥା ବନ୍ଦ କରାଯାଉ। ଏଥିସହ VRF ଉପରେ କାମ ବାବଦରେ ୫ ହଜାର ଟଙ୍କା ପାରିଶ୍ରମିକ ଓ ଯାତ୍ରା ଭତ୍ତା (TA/DA) ବାବଦରେ ୩ ହଜାର ଟଙ୍କା ସହିତ ମୋଟ ୧୮ ହଜାର ଟଙ୍କା ଦେବାକୁ ସଂଘ ଦାବି କରିଛି।
ଅନଲାଇନ କାର୍ଯ୍ୟ ନିମନ୍ତେ ସିଆରପି-ସିଏମଙ୍କୁ ଟାବଲେଟ୍ ପ୍ରଦାନ କରାଯିବା ଓ ବେତନ ଏକାଉଣ୍ଟ ମାଧ୍ୟମରେ ଦିଆଯିବା ଦରକାର ବୋଲି ସଂଘ ଦାବି କରିଛି। ସେମାନଙ୍କୁ ସରକାରୀ ପରିଚୟପତ୍ର ମଧ୍ୟ ଦେବା ଦାବି ହୋଇଛି।
ଏଥିପାଇଁ ମାସିକ ଦୁଇଟି ସ୍ୱୟଂ ସହାୟତା ଗୋଷ୍ଠୀ (SHG) ବୈଠକ ସମ୍ପର୍କରେ ଅନୁପାତିକ ଭାବେ ପ୍ରତିଦାନ ଦିଆଯିବା ଦରକାର ବୋଲି ବିକ୍ଷୋଭକାରୀ ମାନେ ଦାବି କରିଛନ୍ତି।
ମିଶନ ଶକ୍ତିରେ ସିଆରପି-ସିଏମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ସତ୍ତ୍ୱେ ସେମାନଙ୍କୁ ଉଚିତ ସମ୍ମାନ ଓ ସୁବିଧା ମିଳୁନାହିଁ ବୋଲି ଦାବି କରି ବିକ୍ଷୋଭକାରୀମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି।
What's Your Reaction?






