ବଳଙ୍ଗା ରେ ଅଘଟଣ : ଜିଅନ୍ତା ଜଳିଦେଲେ ନାବାଳିକାଙ୍କୁ
ବଳଙ୍ଗାରେ ଅଗ୍ନିକାଣ୍ଡ ଘଟଣା — ୭୦% ଶରୀର ପୋଡ଼ିଥିବା ନାବାଳିକା ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି, ତଦନ୍ତ ଜାରି , ଉପମୁଖ୍ୟମନ୍ତ୍ରୀ କହିଲେ– ଦୋଷୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ

ଭୁବନେଶ୍ୱର : ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଗାଁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗଭୀର ଭାବେ ପୋଡ଼ିଥିବା ନାବାଳିକାକୁ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁସାରେ ତାଙ୍କର ୭୦% ଶରୀର ପୋଡ଼ିଯାଇଛି। ଅବସ୍ଥା ଗମ୍ଭୀର ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।
ଘଟଣାସ୍ଥଳକୁ ପୁରୀ ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ଓ ବୈଜ୍ଞାନିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଡିଜି ପ୍ରକାଶ କରିଛନ୍ତି ଯେ, ଦୋଷୀମାନେ ଶୀଘ୍ର ଧରାପଡ଼ିବେ। ତେବେ ପୀଡ଼ିତା ଚିକିତ୍ସାଧୀନ ଥିବାରୁ ଏପର୍ଯ୍ୟନ୍ତ ତାଙ୍କ ସହ ପଚରାଉଚରା କରାଯାଇପାରିନି।
ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଘଟଣା ଦୁଃଖଦ ଓ ନିନ୍ଦାନୀୟ। ଦୋଷୀଙ୍କ ବିରୁଦ୍ଧରେ କଡ଼ା ଆଇନି କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରଶାସନ ବ୍ୟାପକ ସହଯୋଗ ଯୋଗାଇଛି। ପୁରୀ ଉପଜିଲ୍ଲାପାଳ ୩୦ ହଜାର ଟଙ୍କା ଓ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ସହିତ ଦେଖାକରି ସାନ୍ତ୍ବନା ଦେଇଛନ୍ତି।
ଏହି ଘଟଣା ସମ୍ପୃକ୍ତ ଅଭିଯୁକ୍ତମାନେ କିଏ, ଏହି ନେଇ ତଦନ୍ତ ଜାରି ରହିଛି। ଜନମାନସ ମଧ୍ୟରେ ଦୁଃଖ ଓ କ୍ଷୋଭ ଦେଖାଯାଉଛି।
What's Your Reaction?






