ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ
ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଥିବା ବଳଙ୍ଗା ନାବାଳିକା ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ

ଭୁବନେଶ୍ୱର : ପୁରୀ ଜିଲ୍ଲା ବଳଙ୍ଗା ଘଟଣାରେ ଗୁରୁତର ଆହତ ହୋଇଥିବା ଏବଂ ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଥିବା ନବମ ଶ୍ରେଣୀର ଛାତ୍ରୀଙ୍କ ଆଜି ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ରାଜ୍ୟରେ ଶୋକ ଛାଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରକାଶ କରି ନାବାଳିକାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, “ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଚିକିତ୍ସକମାନଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିଲୁନାହିଁ। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ଏବଂ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।”
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି, “ଏକ ଅଭାବନୀୟ ଓ ଦୁଃଖଦ ଘଟଣା ପରେ ବଳଙ୍ଗା ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରୀ ଦଳ ଓ ସରକାରଙ୍କ ସମସ୍ତ ପ୍ରୟାସ ବ୍ଯର୍ଥ ହୋଇଛି। ତାଙ୍କ ପରିବାର ପ୍ରତି ଆମ ଶୋକ ଓ ସମବେଦନା ରହିଲା।”
ଏହି ଦୁଃଖଦ ଘଟଣା ନେଇ ରାଜ୍ୟ ଜୁଡ଼ି ଗଭୀର ଶୋକ ଓ ଉତ୍ତେଜନା ବ୍ୟାପିଛି।
What's Your Reaction?






