ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା
ଭକ୍ତମାନଙ୍କୁ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମିଳିବ ମାଗଣା ଅଟୋ ସେବା

ଭୁବନେଶ୍ୱର : ଆସନ୍ତା ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ଚରମ ସ୍ତରରେ ଚାଲିଛି । ଏହି ପରିପ୍ରେକ୍ଷିତରେ, ଭକ୍ତମାନଙ୍କ ଯାଆସ ସୁବିଧା ନିମିତ୍ତେ ଓଡ଼ିଶା ସରକାର ପୁରୀରେ ମାଗଣା ଅଟୋ ରିକ୍ସା ସେବା ଚାଲୁ କରିବାକୁ ନିଷ୍ପତ୍ତି ନେଇଛି ।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ସେ କହିଛନ୍ତି, “ଭକ୍ତମାନେ ବସ୍ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ଦ୍ୱାରା ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।” ଏହି ସେବା ରଥଯାତ୍ରା ଦିନ, ବାହୁଡା ଯାତ୍ରା ଓ ସୁନାବେଶ ଦିନ ସହିତ ଉପଲବ୍ଧ ରହିବ ।
ମନ୍ତ୍ରୀ ଜେନା କହିଛନ୍ତି ଯେ, ତାଳବଣିଆ ଅଞ୍ଚଳରେ ଏକ ଅସ୍ଥାୟୀ ବସ୍ଷ୍ଟାଣ୍ଡ ତିଆରି ହେବ, ଯାହା ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ପରି ମହୋତ୍ସବ ପାଇଁ ଭକ୍ତମାନଙ୍କ ଭିଡ଼କୁ ଧ୍ୟାନରେ ରଖି ଗଢ଼ାଯିବ ।
ଆହୁରିମଧ୍ୟ ସେ କହିଛନ୍ତି ଯେ, ରଥଯାତ୍ରା ସମୟରେ ରାଜ୍ୟ ଓ ବାହାର ଅଞ୍ଚଳରୁ ଆସୁଥିବା ଲୋକମାନଙ୍କ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ୍କୁ ପରମିଟ୍ ଦିଆଯିବ । ସେଥିପାଇଁ ଅନୁମତି ପ୍ରକ୍ରିୟା ଦ୍ରୁତ କରାଯିବ। ବସ୍ ଭଡ଼ା ଦର ଏକ ରେଟ୍ ଚାର୍ଟ ଭାବେ ପ୍ରଦର୍ଶିତ ହେବ, ଯାହା ଦ୍ୱାରା ଯାତ୍ରୀମାନେ ସହଜରେ ତଥ୍ୟ ଅବଗତ ହେଇପାରିବେ।
ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ ଓ ସୁଗମ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭୂତି ଭୂଷଣ ଜେନା କହିଛନ୍ତି । ବେଶି ସଂଖ୍ୟାରେ ଭକ୍ତମାନେ ଏଥିରୁ ଲାଭ ଉଠାଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
What's Your Reaction?






