ମୋବାଇଲ ପାଇଁ ନାବାଳକଙ୍କ ଉପରେ ବନ୍ଧୁଙ୍କ ନିର୍ମମ ଆକ୍ରମଣ
ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ; ପରିବାର ଦେଲେ ଏତେଲା

ଭୁବନେଶ୍ୱର : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ସୋସୋ ଥାନା ଅଂତର୍ଗତ କେବାଲିପାଳ ପଞ୍ଚାୟତର ରାଇଘାଟି ଗ୍ରାମରେ ଏକ ଦୁଃଖଦ ଓ ଲୋମହର୍ଷକ ଘଟଣା ଘଟିଛି। ଏଠି ଗ୍ରାମର ନାବାଳକ ଘୋଷା ପୂର୍ତିଙ୍କୁ ତାଙ୍କ ବନ୍ଧୁ କୁଣ୍ଡିଆ ହୋ ମୋବାଇଲ ପାଇଁ ଉଠାଇ ନେଇ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘୋଷା ଓ କୁଣ୍ଡିଆ କିଛିଦିନ ତଳେ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ, ସେଠାରେ ଘୋଷାଙ୍କ ମୋବାଇଲ ଚୋରି ହୋଇଥିଲା। ଆଗକୁ ରଜ ସମୟରେ ଘୋଷା ଦେଖିଥିଲେ ଯେ ସେହି ମୋବାଇଲ କୁଣ୍ଡିଆ ହୋ ନିଜ ପାଖରେ ରଖିଛି। ପରେ ସେ ମୋବାଇଲ ଫେରି ପାଇଥିଲେ ।
ଗତ ରବିବାର ଦିନ କୁଣ୍ଡିଆ ଘୋଷାଙ୍କୁ ବନ୍ଧୁ ଘରକୁ ଯିବାକୁ ବାହାନା କରି ନେଇ ଯାଇଥିଲେ, କିନ୍ତୁ ପରେ ଘୋଷା ଫେରିଲେ ନାହିଁ। ଗତକାଲି ସନ୍ଧ୍ୟାରେ ଘୋଷାଙ୍କ ମୃତଦେହ ରୁଗୁଡି ପାହାଡ଼ ନିକଟରେ ମିଳିଥିଲା। ପରିବାର ଲୋକେ ଶବ ଉଦ୍ଧାର କରି ଆନନ୍ଦପୁର ଚିକିତ୍ସାଳୟକୁ ନେଇ ଗଲେ ଓ କୁଣ୍ଡିଆ ହୋ ବିରୁଦ୍ଧରେ ହତ୍ୟା ଅଭିଯୋଗ କଲେ।
ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଲାଗିଥିବା ପଥର ଉଦ୍ଧାର କରି ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି।
What's Your Reaction?






