ବୁଢ଼ାବଳଙ୍ଗ କୂଳରେ ବୃହତ୍ ଉନ୍ନୟନ ପ୍ରକଳ୍ପ

ପର୍ଯ୍ୟଟନ, ସୌନ୍ଦର୍ଯ୍ୟୀକରଣ ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ଲକ୍ଷ୍ୟରେ ୨୩୦ କୋଟି ଟଙ୍କା ଖର୍ଚ୍ଚର ପ୍ରସ୍ତାବିତ ପ୍ରକଳ୍ପ

Jul 7, 2025 - 11:54
 0  0
ବୁଢ଼ାବଳଙ୍ଗ କୂଳରେ ବୃହତ୍ ଉନ୍ନୟନ ପ୍ରକଳ୍ପ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ୨୩୦ କୋଟି ଟଙ୍କା ଖର୍ଚ୍ଚରେ ବୃହତ୍ ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଅସ୍ତିଆ ପୋଲର ପୂର୍ବ ଦିଗରେ ୪ କିମି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଦିଗରେ ୪ କିମି ଅଞ୍ଚଳକୁ ଆବହାଲା କରି ପ୍ରକଳ୍ପ ଚାଲିବ। ଏହି ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟଟନ, ବନ୍ୟା ପରିଚାଳନା, ପାନୀୟଜଳ, ପରିବେଶ ସୁରକ୍ଷା ଓ ଅର୍ଥନୀତି ଉନ୍ନତ ହେବାର ଆଶା।

ପ୍ରକଳ୍ପ ଅନୁଯାୟୀ, ୧୭୦.୮ ଏକର ଜମିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେବାକୁ ଯାଉଛି। ନଦୀପାର୍ସ୍ୱରେ ୮.୫ ଏକର ଜମିରେ ଥିମ୍ ପାର୍କ, ୫.୫ ଏକର ଜମିରେ କ୍ଷୁଦ୍ର ପ୍ରକଳ୍ପ, ୧୧.୭ ଏକର ଜମିରେ ରିକ୍ରିଏସନାଲ୍ କ୍ଲବ୍ ଓ କ୍ରୀଡ଼ା କେନ୍ଦ୍ର, ୭.୪ ଏକରରେ ଦକ୍ଷତା ବିକାଶ କେନ୍ଦ୍ର, ୨୦.୪ ଏକରରେ ସ୍ୱତନ୍ତ୍ର ପାର୍କ, ୬୦ ଏକର ଆତିଥ୍ୟ ଖେତ୍ର ଲାଗି ଓ ୭.୨ ଏକର ଅନୁଭୂତିମୂଳକ ବିନୋଦନ କେନ୍ଦ୍ର ନିର୍ମିତ ହେବ। ତଦୁପରି ୫.୬ ଏକରରେ ବାଣିଜ୍ୟିକ ହାଟ, ଦୋକାନ, ଟ୍ରକ୍ ପାର୍କିଂ ବ୍ୟବସ୍ଥା ମଧ୍ୟ ଥିବ।

ଏହି ପ୍ରକଳ୍ପ ପାଇଁ ୩ ମାସରେ ପ୍ରାଥମିକ ସର୍ଭେ, ୬ ମାସରେ ଡିପିଆର ଏବଂ ଅଂଶୀଦାର ପରାମର୍ଶ ଶେଷ ହେବ। ପରେ ୨ ମାସରେ ଠିକାଦାର ଚୟନ କରି ୨୪ ମାସରେ ପ୍ରକଳ୍ପ ଶେଷ କରାଯିବ।

ଆଜି ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଉନ୍ନୟନ ପ୍ରକଳ୍ପ ଚୂଡ଼ାନ୍ତ ହୋଇଛି। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର, ଇଏମ୍‌ସି ନିର୍ଦ୍ଦେଶକ ଗୋପେଶ ଶ୍ରୀବାସ୍ତବ, ସିଇଓ ଚିନ୍ମୟ ତ୍ରିପାଠୀ, ଅର୍ବାନ ପ୍ଲାନର ରୁପିନ୍ଦର କୌର ସହ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପ ଉପରେ ନିୟମିତ ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ନିରୀକ୍ଷଣ କମିଟି ଗଠନ ହୋଇଛି।

What's Your Reaction?

like

dislike

love

funny

angry

sad

wow