ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପୁରୋହିତଙ୍କ ଦୁଃଖଦ ମୃତ୍ୟୁ

ମୋଟର ପମ୍ପ ଚାଲୁ କରୁଥିବାବେଳେ ଘଟିଲା ଦୁର୍ଘଟଣା, ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

May 27, 2025 - 13:18
 0  0
ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପୁରୋହିତଙ୍କ ଦୁଃଖଦ ମୃତ୍ୟୁ

ଭୁବନେଶ୍ୱର: ବିଦ୍ୟୁତ ଆଘାତ ଜଣେ ମେଳାପୀ ଓ ଛାତ୍ରବତ୍ସଳ ଶିକ୍ଷୟିତ୍ରୀଙ୍କ ଜୀବନ ଲୁଟିନେଲା। ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପୁରୋହିତ (୫୨)ଙ୍କ ମଙ୍ଗଳବାର ସକାଳ ୬ଟା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।

 ଘର ବାଡିରେ ଥିବା କୂଅରୁ ପାଣି ଉଠାଇବା ପାଇଁ ମୋଟର ଚାଲୁ କରୁଥିବା ସମୟରେ ସେ ବିଦ୍ୟୁତ ଝଟକା ଖାଇ ତଳେ ପଡିଯାଇଥିଲେ। ତାଙ୍କ ସ୍ୱାମୀ ସନ୍ତୋଷ ଶତପଥୀ ଉଦ୍ଧାର କରିବାକୁ ଚେଷ୍ଟା କରିବାବେଳେ ସେ ମଧ୍ୟ ଝଟକା ଖାଇ ଗୁରୁତର ଆହତ ହୋଇଛନ୍ତି। ପାଖରେ ଥିବା ଯୁବକମାନେ କାଠ ବାଡ଼ି ଦ୍ୱାରା ବିଦ୍ୟୁତ ତାର ବିଚ୍ଛିନ୍ନ କରି ଉଭୟଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଭାଗ୍ୟବଶତଃ ନାକଟିଦେଉଳ ଡାକ୍ତରଖାନା ନେଇଯିବା ପରେ ଡାକ୍ତରମାନେ ଅନିତାଙ୍କୁ ମୃତ ଘୋଷଣା କରିଛନ୍ତି। ସ୍ୱାମୀଙ୍କ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ପୋଲିସ ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନିତାଙ୍କ ଏକ ପୁଅ ଆମେରିକାରେ ଚାକିରି କରୁଛନ୍ତି, ଓ ଝିଅ ଘରେ ଅଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକ ଛାଇଯାଇଛି।

What's Your Reaction?

like

dislike

love

funny

angry

sad

wow