ବିକଶିତ କୃଷି ପାଇଁ ପ୍ୟାନ୍-ଇଣ୍ଡିଆ ଅଭିଯାନ ଆରମ୍ଭ
୨୯ରୁ ପୁରୀରୁ ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଭାବେ ଯୋଗ ଦେବେ

ଭୁବନେଶ୍ୱର: ଦେଶର କୃଷି କ୍ଷେତ୍ରକୁ ଅଧିକ ଉନ୍ନତ ଓ ଆଧୁନିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ମଇ ୨୯ରୁ ଏକ ବିଶାଳ ପ୍ୟାନ-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନ ଓଡ଼ିଶାର ପବିତ୍ର ସହର ପୁରୀରୁ ଆରମ୍ଭ ହେବ ଓ ଜୁନ୍ ୧୨ ଯାଏଁ ଚାଲିବ।
ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ୍ରେ ଯୋଗ ଦେଇ ଅଭିଯାନକୁ ଉଦଘାଟନ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ।
ଅଭିଯାନ ଆରମ୍ଭ ପୂର୍ବରୁ ଆଜି ଭୁବନେଶ୍ୱର ଥିବା କୃଷି ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାର ଅଧ୍ୟକ୍ଷତା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଅଭିଯାନ ପାଇଁ ପ୍ରସ୍ତୁତି ଅନ୍ତିମ ଚରଣକୁ ପହଞ୍ଚିଛି।
ଶୁଭାରମ୍ଭ କାର୍ଯ୍ୟକ୍ରମ ପୁରୀ ସାଖିଗୋପାଳ ଅଞ୍ଚଳର ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ହେବ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ପ୍ରଥମେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରି ‘ତ୍ରିରଙ୍ଗାଯାତ୍ରା’ରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଏକ ‘କୃଷି ରଥ’କୁ ଯାତ୍ରା ଦେଇ ଅଭିଯାନର ଶୁଭାରମ୍ଭ କରାଯିବ।
ଏହାସହିତ, ମନ୍ତ୍ରୀ ମହୋଦୟ ସିଆଇଏଫଏ ଓ ଓୟୁଏଟି କାର୍ଯ୍ୟକ୍ରମରେ ଅଂଶ ନେବେ ଓ ଆମ୍ବ ଉତ୍ସବରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ଅଧୀନରେ ‘ଏକ ପେଡ଼ ମାଁ କେ ନାମ’ ଅଭିଯାନରେ ଗଛ ରୋପଣ ମଧ୍ୟ କରାଯିବ। ଅନେକ କୃଷକ ଓ ଛାତ୍ରମାନେ ଏହି ଅଭିଯାନରେ ସହଭାଗି ହେବେ।
What's Your Reaction?






