ନିଖୋଜ ଦୁଇ ନାବାଳକ ଓ ନାବାଳିକା ଉଦ୍ଧାର
୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରି ମଞ୍ଚେଶ୍ବର ଓ ପାହାଳ ରୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନିଖୋଜ ହୋଇଥିବା ଦୁଇ ନାବାଳକ ଓ ନାବାଳିକାକୁ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି। ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଏହି ପିଲାମାନଙ୍କ ପାଇଁ ପୋଲିସ ୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।
ସୂଚନା ଅନୁସାରେ, ଗତ ୧ ତାରିଖରେ ଜଣେ ନାବାଳିକା ମଞ୍ଚେଶ୍ବର ଅଞ୍ଚଳରୁ ମାଛ କିଣିବାକୁ ବାହାରି ନିଖୋଜ ହୋଇଥିଲେ। ଅନେକ ଖୋଜାଖୋଜି ପରେ ମଞ୍ଚେଶ୍ବର ଥାନା ଅଞ୍ଚଳର ଭୋଟପଡ଼ା ବସ୍ତିରୁ ସେହି ନାବାଳିକାକୁ ଉଦ୍ଧାର କରାଯାଇଛି। ତାଙ୍କ ନଖ ଉପୁଡ଼ା ଯାଇଥିବା ଦେଖିଲେ ମଧ୍ୟ ପୋଲିସ କହିଛି ଯେ ଅପହରଣ ବା ପିଲା ଚୋରି ସମ୍ବନ୍ଧୀୟ କୌଣସି ଆଶଙ୍କା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହା ବ୍ୟତୀତ, ଗତକାଲି ପାହାଳ ଅଞ୍ଚଳରୁ ନିଖୋଜ ହୋଇଥିବା ୯ ବର୍ଷର ଜଣେ ନାବାଳକକୁ ମଧ୍ୟ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଛି। ଏହି ଅଭିଯାନର ନେତୃତ୍ୱ ନେଇଥିଲେ ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା।
ପୋଲିସ କମିଶନର ପକ୍ଷରୁ ଜଣାପଡ଼ିଛି ଯେ ଏହି ଉଦ୍ଧାର କାର୍ଯ୍ୟରେ ଏକ ଦଳ ତିଆରି କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଦୁଇ ଘଟଣା ଉପରେ ଅଧିକ ତଦନ୍ତ ଜାରି ରହିଛି।
What's Your Reaction?






