ଦେବଗଡ଼କୁ ଅଗ୍ରଣୀ ଓ ବିକଶିତ ଜିଲ୍ଲା ବନାଇବା ହେଉଛି ପ୍ରାଥମିକ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
୨୦୫ କୋଟିର ଅନେକ ପ୍ରକଳ୍ପ ଉଦ୍ଘାଟିତ, କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ୪୧ କୋଟି ସହାୟତା ଘୋଷଣା

ଭୁବନେଶ୍ୱର : ଦେବଗଡ଼କୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ରେ କହିଛନ୍ତି। ସେ ଏଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହା ସହିତ ଏକ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ୧୧ଟି ସ୍ୱାସ୍ଥ୍ୟ ଓ ୪ଟି ଶିକ୍ଷା ପ୍ରକଳ୍ପ ମଧ୍ୟ ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ସେ କହିଛନ୍ତି, ଦେବଗଡ଼ରେ ଅସୀମ ସମ୍ଭାବନା ଅଛି ଓ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ରୋଜଗାର ଓ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଲେ ଏହି ଜିଲ୍ଲାକୁ ରାଜ୍ୟର ମୁଖ୍ୟ ବିକାଶ ଧାରାରେ ଆଣିପାରିବ। ସେ କହିଛନ୍ତି ଯେ ଓଡ଼ିଶାର ଆଗକୁ ବଢ଼ିବା ଲକ୍ଷ୍ୟରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ତାଙ୍କର ସରକାର ପ୍ରତିବଦ୍ଧ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ବିଧାୟକ ରୋମାଞ୍ଚ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର ସାହୁ ଓ ଡ଼. ବିଶ୍ୱମୋହନ ମିଶ୍ର ଉପସ୍ଥିତ ଥିଲେ।
What's Your Reaction?






