ଏଫଏମ୍ କଲେଜ୍ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟବ୍ୟାପୀ ବନ୍ଦ

ରାଜ୍ୟର ଅନେକ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳିତ, ଗୁରୁତ୍ୱପୂର୍ଣ୍ଣ ସେବା ବ୍ୟତୀତ ଯାତାୟାତ ଓ ବ୍ୟବସାୟିକ କାର୍ଯ୍ୟ ଅସ୍ତବ୍ୟସ୍ତ

Jul 17, 2025 - 12:40
 0  1
ଏଫଏମ୍ କଲେଜ୍ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟବ୍ୟାପୀ ବନ୍ଦ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟ ବ୍ୟାପୀ ୧୨ ଘଣ୍ଟିଆ ବନ୍ଦର ଡାକରା ଦେଇଛି। ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ବାଲେଶ୍ବର ଏଫଏମ୍ କଲେଜ୍ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ଆତ୍ମଦାହ ଓ ମୃତ୍ୟୁ ଘଟଣାକୁ ନେଇ ନ୍ୟାୟ ଦାବିରେ ଏହି ବନ୍ଦ ଡାକି ଯାଇଛି।

ବନ୍ଦର ଅନୁସରଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ଅସ୍ତବ୍ୟସ୍ତ ହୋଇଛି। ବଡ଼ଚଣା, ଚଣ୍ଡିଖୋଲ, କାଂଶବାହାଲ, ତୁଷୁରା, ବାଙ୍ଗିରିପୋଷି, ଗୁଡାରି, କୁଆଖିଆ, ରରୁଆଁ ଓ କୋମନା ଅଞ୍ଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏଠି ଥିବା ବଜାର, ସ୍କୁଲ, କଲେଜ, ସରକାରି ଓ ବେସରକାରି କାର୍ଯ୍ୟାଳୟ ବନ୍ଦ ରହିଛି।

କଂଗ୍ରେସ ବିଧାୟକ ଏସ୍. ରାଜନ ଏକ୍କାଙ୍କ ନେତୃତ୍ୱରେ ରାଜଗାଙ୍ଗପୁର, କଲୁଙ୍ଗା ଓ ଅନ୍ୟାନ୍ୟ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଅନେକ ଜାତୀୟ ଓ ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବନ୍ଦ ସମୟରେ ଜରୁରୀକାଳୀନ ସେବା ଅଖଣ୍ଡ ରଖିବା ନିମିତ୍ତେ ପ୍ରୟାସ ଜାରି ରଖିବା ନିର୍ଦ୍ଦେଶ ଦେଇଛି।

ବନ୍ଦକୁ କଂଗ୍ରେସ ସହ ବାମପନ୍ଥୀ ଦଳ ମାନେ ମଧ୍ୟ ସମର୍ଥନ କରିଛନ୍ତି — ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଏଫ୍‌ବି, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

ଘଟଣା ପୃଷ୍ଠଭୂମି:
୧୨ ଜୁଲାଇ ତାରିଖ ଦିନ ଏଫଏମ୍ କଲେଜ୍ ଛାତ୍ରୀ ସୌମ୍ୟଶ୍ରୀ ବିଶୀ ନିଜ ଉପରେ ପେଟ୍ରୋଲ ଢାଳି ଆଗ୍ନିଦାହ କରିଥିଲେ। ତାଙ୍କ ଶରୀରର ୯୫% ଅଂଶ ଜଳିଯାଇଥିବାରୁ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜୁଲାଇ ରାତିରେ ସେ ଚିରନିଦ୍ରାରେ ଲୀନ ହୋଇଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ବାଲେଶ୍ବର ଭୋଗରାଇ ଅଞ୍ଚଳରେ କରାଯାଇଛି।

କଂଗ୍ରେସର ଦାବି:
– ଦୁଷ୍ୟମ ଅଧ୍ୟାପକଙ୍କ ବିରୁଦ୍ଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ
– ଛାତ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କା ଅର୍ଥିକ ସହାୟତା
– ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା

ଏହି ଆନ୍ଦୋଳନ ଓଡ଼ିଶାର ରାଜନୈତିକ ପଟଭୂମିରେ ଗଭୀର ପ୍ରଭାବ ପକାଇଛି।

What's Your Reaction?

like

dislike

love

funny

angry

sad

wow