ଓପିଜିସି–ଓସିପିଏଲ୍ ମିଶ୍ରଣ ପ୍ରସ୍ତାବ ନେଇ ଚିନ୍ତା
ନୂତନ ନିଯୁକ୍ତି ଓ କୋଇଲା ଖଣି ପ୍ରକଳ୍ପ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନଙ୍କ ମତ

ଭୁବନେଶ୍ୱର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ବୋର୍ଡ, ଓଡିଶା କୋଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଓସିପିଏଲ୍) ସହିତ ଏକତ୍ରୀକରଣ ପ୍ରସ୍ତାବକୁ ମଞ୍ଜୁର କରିଛି। ଓସିପିଏଲ୍ରେ ଓପିଜିସିର ୫୧% ଓ ରାଜ୍ୟ ସରକାରଙ୍କ ୪୯% ଅଂଶଧନ ରହିଛି। ବୋର୍ଡର ନିଷ୍ପତ୍ତିକୁ ଏବେ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରତୀକ୍ଷାରେ ରହିଛି ।
ସୁନ୍ଦରଗଡ଼ର ଟାଙ୍ଗରଡ଼ିହି (ଉତ୍ତର)ରେ ବାର୍ଷିକ ୧୬ ନିୟୁତ ଟନ୍ କ୍ଷମତା ସହିତ ପ୍ରଥମ ବ୍ୟବସାୟିକ କୋଇଲା ଖଣି ପାଇଥିବା ଓସିପିଏଲ୍, ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ୫-ଷ୍ଟାର ରେଟିଂ ସମ୍ମାନ ଅର୍ଜନ କରିଛି। ୨୦୨୩–୨୪ରେ ୧୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ, ଏହି ବର୍ଷ ପାଇଁ ୧୬ ନିୟୁତ ଟନ୍ ଲକ୍ଷ୍ୟ ଧାରଣ କରାଯାଇଛି। କମ୍ପାନିର କାର୍ଯ୍ୟକଳାପରୁ ୫ହଜାରରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।
ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କ ମତ ଅନୁସାରେ, ଏହି ମିଶ୍ରଣ ଓସିପିଏଲ୍ର ସ୍ୱତନ୍ତ୍ରତା କମାଇ ନୂତନ ନିଯୁକ୍ତି ଓ ବିକାଶକୁ ବାଧା ଦେବ। ଅନ୍ୟପଟେ, ସପକ୍ଷବାଦୀମାନେ କହିଛନ୍ତି ଏହା ଫଳରେ ବିଦ୍ୟୁତ୍ ମୂଲ୍ୟ ହ୍ରାସ ପାଇ ଉପଭୋକ୍ତାମାନେ ଲାଭ ପାଇବେ।
୨୦୨୬ ଏପ୍ରିଲରୁ କୋଇଲା ଉପରେ ଜିଏସ୍ଟି କ୍ଷତିପୂରଣ ସେସ୍ ବନ୍ଦ ହୋଇପାରେ। ବିଶେଷଜ୍ଞମାନଙ୍କ ମତ, ଏହାର ପୂର୍ବରୁ ମିଶ୍ରଣ ପ୍ରସ୍ତାବରେ ବିଶେଷ ଲାଭ ହେବା ସମ୍ଭାବନା କମ।
What's Your Reaction?






