ମହିଳା ଭକ୍ତଙ୍କ ପାଇଁ ଖୁସି ଖବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପିଙ୍କ ହେଲ୍ପ ଡେସ୍କ’
ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସର ନୂତନ ପଦକ୍ଷେପ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଉଥିବା ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପର ଅଂଶ ଭାବରେ, ଶ୍ରୀଜଗନ୍ନାଥ ମନ୍ଦିରରେ ‘ପିଙ୍କ ହେଲ୍ପ ଡେସ୍କ’ ଆରମ୍ଭ କରାଯାଇଛି ।
ପୁରୀ ପୋଲିସର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ‘ପିଙ୍କ ହେଲ୍ପ ଡେସ୍କ’ ମହିଳା ଭକ୍ତମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବ ।
ଦିନକୁ ଲକ୍ଷାଧିକ ମହିଳା ଭକ୍ତ ଓ ପର୍ଯ୍ୟଟକ ଶ୍ରୀଜଗନ୍ନାଥ ଧାମକୁ ଯାଆନ୍ତି, ସେମାନଙ୍କ ସୁରକ୍ଷା ନିମନ୍ତେ ଏହି ପିଙ୍କ ହେଲ୍ପ ଡେସ୍କରେ ଆଜି ୬ ଜଣ ମହିଳା କନେଷ୍ଟବଳ ନିଯୁକ୍ତ ହୋଇ ସକ୍ରିୟ ହୋଇଛନ୍ତି । ଏହି ସେବା ମାଧ୍ୟମରେ ଯଦି କୌଣସି ଅସୁବିଧା ହୁଏ, ତେବେ ସେମାନେ ସହାୟତା ପ୍ରଦାନ କରିବେ ଓ ଆବଶ୍ୟକତା ଅନୁଯାୟୀ ପୋଲିସ ଥାନା ବା ପିସିଆର ସହ ଯୋଗାଯୋଗ କରିବେ ।
ପୁରୀ ଶ୍ରୀଜଗନ୍ନାଥ ଧାମର ଭକ୍ତମାନେ ଏହି ନୂତନ ପଦକ୍ଷେପ ପାଇଁ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଓ ଖୁସି ବ୍ୟକ୍ତ କରିଛନ୍ତି।
What's Your Reaction?






