ଖୁସି ସହିଲାନି ଭାଗ୍ୟ : ଅଧା ରହିଗଲା ବାହାଘର ସ୍ବପ୍ନ
ବନ୍ଧୁକୁ ଆଣିବାକୁ ଯିବା ବେଳେ ଡମ୍ପର ଧକ୍କାରେ ଯୁବକ ଓ ତାଙ୍କ ଦାଦାଙ୍କ ମୃତ୍ୟୁ, ନୀଳଗିରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର : ବାହାଘର ପାଇଁ ଖୁସିରେ ଥିବା ଏକ ପରିବାର ଉପରେ ଭାଙ୍ଗିଗଲା ଦୁଃଖର ପାହାଡ, ଯେଉଁଠାରେ ଜଣେ ଯୁବକ ଓ ତାଙ୍କ ଦାଦାଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ବାଲିଗୋହିରୀ ଛକ ନିକଟରେ। ମୃତକ ହେଲେ ଗୋବରା ଗାଁ ନିବାସୀ ୨୪ ବର୍ଷୀୟ ହରେକୃଷ୍ଣ ମହାଳିକ ଓ ତାଙ୍କ ଦାଦା ଜ୍ୟୋତିଶଙ୍କର ମହାଳିକ।
ସୂଚନା ଅନୁସାରେ, ହରେକୃଷ୍ଣଙ୍କ ବାହାଘର କେବଳ ଦୁଇଦିନ ପରେ ଥିଲା। ପରିବାରରେ ଖୁସିର ଲହରି ବ୍ୟାପିଥିଲା, ଘର ଶୁଭଦ୍ରଷ୍ଟ ଭାବେ ସଜିଥିଲା, କାନ୍ଥରେ ନାଁ ଲେଖାଯାଇଥିଲା। କିଛି ବନ୍ଧୁ ଟ୍ରେନରେ ଆସୁଥିବା ବେଳେ, ସେମାନଙ୍କୁ ଆଣିବାକୁ ଗଲେ ହରେକୃଷ୍ଣ ଓ ତାଙ୍କ ଦାଦା ଜ୍ୟୋତିଶ। ଷ୍ଟେସନର ରାସ୍ତା ଉପରେ ଜଗିଥିଲା କାଳ। ତାଙ୍କ କାରକୁ ଏକ ଡମ୍ପର ଭୟଙ୍କର ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ହରେକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା, ଏବଂ ଗୁରୁତର ଅବସ୍ଥାରେ ତାଙ୍କ ଦାଦାଙ୍କୁ ମେଡିକାଲ ନେଇଯିବା ସମୟରେ ମଧ୍ୟ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା ।
ଏହି ମର୍ମନ୍ତୁଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ହୋଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖାଲି କରାଇବା ପାଇଁ ଉଦ୍ୟମ କରୁଛି।
What's Your Reaction?






