ତୃତୀୟ ଦିନରେ ପହଞ୍ଚିଲା ଜରଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ

ଖଣି କର୍ତ୍ତୃପକ୍ଷଙ୍କ ଦେଇଥିବା ପ୍ରତିଶ୍ରୁତି ଅପୂରଣ ଉପରେ ଗ୍ରାମବାସୀଙ୍କ ଅଭିଯୋଗ

May 19, 2025 - 20:06
 0  53
ତୃତୀୟ ଦିନରେ ପହଞ୍ଚିଲା ଜରଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: କୋଇଲା ଖଣି କ୍ଷେତ୍ରରେ ନିର୍ବାସିତ ଓ କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ତାଙ୍କ ୮ ଦଫା ଦାବି ପୂରଣ ପାଇଁ ଆରମ୍ଭ କରିଥିବା ଖଣି ବନ୍ଦ ଆନ୍ଦୋଳନ ଏବେ ତୃତୀୟ ଦିନରେ ପହଞ୍ଚିଛି। ଗତ ୧୬ ମେ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ଫଳରେ କଣିହାଁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ପୂର୍ଣ୍ଣ ଭାବରେ ବନ୍ଦ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ପ୍ରତିଦିନ ହଜାର ହଜାର ଟନ୍ କୋଇଲା ଏନ୍‌ଟିପିସି, ଜିନ୍ଦଲ ପ୍ଲାଣ୍ଟ ସହିତ ଅନ୍ୟାନ୍ୟ ସ୍ଥାନକୁ ଯାଉଥିଲା, କିନ୍ତୁ ଆନ୍ଦୋଳନ ଦ୍ୱାରା ଏହା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଖଣି କର୍ତ୍ତୃପକ୍ଷ, ପୁଲିସ ଓ ପ୍ରଶାସନ ମିଶି ଗ୍ରାମବାସୀଙ୍କ ଉପରେ ଚାପ ଦେଇ ଆନ୍ଦୋଳନ ଅବସାନ କରିବା ଚେଷ୍ଟା କରୁଛନ୍ତି, ତେବେ ଗ୍ରାମବାସୀ ତାଙ୍କ ଦାବି ଉପରେ ଅଟଳ ରହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ, କଣିହାଁ କୋଇଲା ଖଣି କର୍ତ୍ତୃପକ୍ଷ ୧୫ ତାରିଖ ସୁଦ୍ଧା ବିସ୍ଥାପିତ କଲୋନିରେ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା କାର୍ଯ୍ୟାନ୍ବୟ ହୋଇନି। ୨୯ ବର୍ଷ ଧରି ଜରଡ଼ା ଗାଁର ଜମି ବ୍ୟବହାର କରାଯାଇଥିଲେ ମଧ୍ୟ ବିସ୍ଥାପନ, କ୍ଷତିପୂରଣ ଓ ନିଯୁକ୍ତି ମିଳିନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ଗ୍ରାମବାସୀ କହିଛନ୍ତି, ତାଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ସେମାନେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିବେ। ଏହି ଆନ୍ଦୋଳନ ପରିସ୍ଥିତି ଦେଖି ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି ଓ ଖଣି କାର୍ଯ୍ୟ ସାଧାରଣ ଅବସ୍ଥାକୁ ଫେରାଇବା ପାଇଁ ଏବେ ପ୍ରଶାସନ ଚିନ୍ତିତ।

What's Your Reaction?

like

dislike

love

funny

angry

sad

wow