କୋରାପୁଟ ମେଡିକାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ

ଆଇସିୟୁ ଓ ସର୍ଜରୀ ୱାର୍ଡରେ ଘଟିଥିବା ମୃତ୍ୟୁ ନେଇ ରୋଗୀଙ୍କ ପରିବାରର ଚିନ୍ତା

Jun 4, 2025 - 11:23
Jun 4, 2025 - 12:29
 2  57
କୋରାପୁଟ ମେଡିକାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଗତକାଲି ରାତି ଅଳ୍ପ ସମୟ ମଧ୍ୟରେ ୫ ଜଣ ରୋଗୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଘଟଣା ଉପରେ ଅସନ୍ତୋଷ ବଢ଼ିଛି। ଏହି ଅଭାବନୀୟ ଘଟଣା ରୋଗୀ ଓ ସେମାନଙ୍କ ପରିବାରରେ ଗଭୀର ଆଶଙ୍କା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୁରୁତର ରୋଗୀମାନେ ଆଇସିୟୁ ଓ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତି ୧୧ଟା ପରେ ଅଧଘଣ୍ଟା ମଧ୍ୟରେ ଆଇସିୟୁରେ ଥିବା ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରାଙ୍କୁ ମୃତ ଘୋଷିତ କରାଯାଇଥିଲା।

ଘଟଣା ପରେ ରୋଗୀଙ୍କ ପରିବାର ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାରୁ ଟାଉନ୍ ଥାନା ପୁଲିସ ଶବ ଜବତ୍ କରିଛି।

ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଆଇସିୟୁରେ ଥିବା ରୋଗୀମାନେ ଅପରେସନ ପରେ ଠିକ୍ ଥିଲେ। ରାତିକାଳୀନ କର୍ମଚାରୀ ଇଞ୍ଜେକ୍ସନ ଦେବା ୧୫ ମିନିଟ ମଧ୍ୟରେ ତିନି ଜଣ ଆଇସିୟୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗ ମୁତାବକ ଭୁଲ ଇଞ୍ଜେକ୍ସନ ଦେବା ଫଳରେ ଏହି ଘଟଣା ଘଟିଥିବା ସନ୍ଦେହ ହେଉଛି।

ଅନ୍ୟପଟେ, ବେଡ଼ ରୋଗୀଙ୍କ ମୃତ୍ୟୁ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମସ୍ତେ ରାତି ରାଉଣ୍ଡ ପରେ ଶେଷ ଡୋଜ ନେବା ପରେ ମୃତ୍ୟୁ ହୋଇଥିବାରୁ  ଗୁରୁତର ପ୍ରଶ୍ନ ଉଠିଛି।

ପୁଲିସ ଏବେ ମୃତ୍ୟୁର କାରଣ ଖୋଜିବା ପାଇଁ ମେଡିକାଲ ରିପୋର୍ଟ ଓ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରୁଛି। ଏହା ସହିତ ରାତି ଦାୟିତ୍ୱରେ ଥିବା ଚିକିତ୍ସା କର୍ମଚାରୀ ଓ ନର୍ସମାନଙ୍କ ତଦନ୍ତ ହେବା ସମ୍ଭାବନା ରହିଛି।

ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ଗଭୀର ଭାବେ ଗ୍ରହଣ କରି ସମ୍ପୂର୍ଣ୍ଣ ତଦନ୍ତ ଓ ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow