ଏନ୍ଟିପିସି ଦେଉଛି ଯନ୍ତ୍ରଣା : ଦୁର୍ଦ୍ଦଶାରେ ଜନଜୀବନ
ଏନ୍ଟିପିସି କଣିହାଁ ଥର୍ମାଲ ପ୍ଲାଣ୍ଟରୁ ଫ୍ଲାଇ ଆଶ୍ ପରିବହନ କରୁଥିବା ଯାନ ଚାଳନା ଦ୍ୱାରା ଧୂଳି ପ୍ରଦୂଷଣ, ରାସ୍ତା ନଷ୍ଟ ଓ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଉଛି

ତାଳଚେର, ମେ ୧୭: ଏନ୍ଟିପିସି ତାଳଚେର କାଣିହା ଥର୍ମାଲ ପାୱାର ପ୍ଲାଣ୍ଟରୁ ଉତ୍ପାଦିତ ଫ୍ଲାଇ ଆଶ୍ ପରିବହନ ପାଇଁ ବ୍ୟବହୃତ ଟ୍ରକ୍ ଓ ଭାରି ଯାନ ଗୁଡିକ ତାଳଚେର ଅଞ୍ଚଳରେ ଜନଜୀବନ ଓ ପରିବେଶ ନିମନ୍ତେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଅଞ୍ଚଳବାସୀଙ୍କ ଅନୁସାରେ ଏହି ଯାନଗୁଡିକର ଚଳାଚଲ ହେତୁ ପ୍ରଦୂଷଣ ଦେଖାଯାଉଛି, ଯାହା ଶ୍ୱାସ, ଚକ୍ଷୁ ଏବଂ ଚର୍ମ ଜନିତ ରୋଗରେ ପରିଣତ ହୋଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଏନଟିପିସି କଣିହାଁ ର ହଜାର ହଜାର ଫ୍ଲାଇ ଆଶ୍ ବୋଝେଇ ହୋଇଥିବା ଟ୍ରକ୍ ଗୁଡିକୁ ନ ଘୋଡାଇ ପରିଚାଳନା କରାଯାଉଛି । ଯଦ୍ୱାରା ଯିବା ଆସିବା ସମୟରେ ଏହି ଯାନ ଗୁଡିକ ଦ୍ୱାରା ବହୁ ମାତ୍ରାରେ ଧୂଳି ଉଡିବା ସହିତ ଫ୍ଲାଏ ଆସ ଗୁଡିକ ମଧ୍ୟ ଉଡ଼ୁଛି। ଯାହା ଫଳ ସ୍ୱରୂପ ରାସ୍ତା ଘାଟରେ ଯିବା ଆସିବା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସ୍ଥାନୀୟ ବାସିନ୍ଦାମାନେ ଏନ୍ଟିପିସି କଣିହାଁ ପ୍ରଶାସନ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ପ୍ରଭାବୀ ନିଷ୍ପତ୍ତି ଗ୍ରହଣ କରାଯାଇନି।
ସେମାନେ ଦାବି କରୁଛନ୍ତି ଯେ ଟ୍ରକ୍ଗୁଡିକରେ ଧୂଳି ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରାଯାଉ ଓ ନିୟମିତ ରୋଡ୍ ଝାଡ଼ୁ ଓ ଜଳ ଛିଞ୍ଚନ କାର୍ଯ୍ୟ କରାଯାଉ।
ଏନ୍ଟିପିସି ତାଳଚେର କଣିହାଁ ପ୍ଲାଣ୍ଟ ଓଡ଼ିଶାର ଏକ ମହତ୍ତ୍ୱପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ହେଉଥିବା ସତ୍ତ୍ୱେ, ତାହାର ପଦାର୍ଥ ପରିବହନ ପ୍ରକ୍ରିୟାରେ ଅନିୟମ ଓ ଅବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଉଠିଛି।
ଅଞ୍ଚଳବାସୀ ଓ ସ୍ଥାନୀୟ ସାମାଜିକ ସଂଗଠନମାନେ ଏହି ସମସ୍ୟାର ଦୂରୀକରଣ ପାଇଁ ଏନ୍ଟିପିସି କଣିହାଁ ଓ ଜିଲ୍ଲା ପ୍ରଶାସନଙ୍କୁ ଏହି ସମସ୍ୟାର ସମାଧାନ ନିମନ୍ତେ ଦାବି ପ୍ରଦାନ କରିଛନ୍ତି
ଏହାର ପ୍ରତିକାର ନ କରାଗଲେ ତାଳଚେରରେ ଏହି ପ୍ରଦୂଷଣ ଜନସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏକ ଗମ୍ଭୀର ସଂକଟ ରୂପ ଧାରଣ କରିପାରେ, ବୋଲି ଅନେକ ବୁଦ୍ଧିଜୀବୀ ମନ୍ତବ୍ୟ ଦେଇଛନ୍ତି।
What's Your Reaction?






